ନୟାଗଡ଼, (ଓଡ଼ିଶା ଲେଖା): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ନିର୍ବାଚନ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଛି । ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୮ ସେପ୍ଟେମ୍ବରରେ ପ୍ରକାଶିତ ଚିଠା ନିର୍ବାଚକ ନାମାବଳୀରେ ନୟାଗଡ଼ ଜିଲ୍ଲାରେ ୭,୪୦,୫୮୪ ଜଣ ଭୋଟର ଥିଲେ। SIR ସମୟରେ ଦାବି ଓ ଆପତ୍ତିର ଯାଞ୍ଚ ଓ ଶୁଣାଣି ପରେ ୧୯,୯୪୬ ଜଣଙ୍କ ନାମ ଯୋଡ଼ାଯାଇଥିବା ବେଳେ ୭୮୮ ଜଣଙ୍କ ନାମ ବାଦ ଦିଆଯାଇଛି। ଏହା ପରେ ଚୂଡ଼ାନ୍ତ ତାଲିକାରେ ମୋଟ ୭,୫୯,୭୪୨ ଜଣ ନିର୍ବାଚକ ସ୍ଥାନ ପାଇଛନ୍ତି। ଜିଲ୍ଲାର ଚାରିଟି ବିଧାନସଭା ନିର୍ବାଚନମଣ୍ଡଳୀ—ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା (ଏସ୍ସି) ଓ ନୟାଗଡ଼—ର ଚୂଡ଼ାନ୍ତ ନିର୍ବାଚକ ନାମାବଳୀ ସମ୍ପର୍କିତ ତଥ୍ୟ ପ୍ରକାଶ କରାଯାଇଛି।

ଚୂଡ଼ାନ୍ତ ନାମାବଳୀ ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଏବଂ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି। ମତଦାତାମାନେ ନିଜ ନାମ ଓ ନିର୍ବାଚକ ସମ୍ବନ୍ଧୀୟ ବିବରଣୀ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବସାଇଟ୍ ଏବଂ ଭାରତ ନିର୍ବାଚନ ଆୟୋଗଙ୍କ Voters’ Services Portal ମାଧ୍ୟମରେ ମଧ୍ୟ ଯାଞ୍ଚ କରିପାରିବେ। ଯୋଗ୍ୟ ନାଗରିକମାନେ ନାମ ସଂଯୋଜନ, ସଂଶୋଧନ, ସ୍ଥାନାନ୍ତରଣ କିମ୍ବା ନାମ ବାଦ ଦେବା ସମ୍ପର୍କରେ ପ୍ରଚଳିତ ନିୟମ ଅନୁଯାୟୀ ଆବେଦନ କରିପାରିବେ। ଦାବି ଓ ଆପତ୍ତି ସମ୍ବନ୍ଧୀୟ ନିଷ୍ପତ୍ତିର ପୁନଃବିଚାର ପାଇଁ ଜିଲ୍ଲାପାଳଙ୍କ ନିକଟରେ ୧୫ ଦିନ ମଧ୍ୟରେ ପ୍ରଥମ ଅପିଲ୍ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିକଟରେ ୩୦ ଦିନ ମଧ୍ୟରେ ଦ୍ୱିତୀୟ ଅପିଲ୍ କରାଯାଇପାରିବ। SIR ପ୍ରକ୍ରିୟାକୁ ସଫଳତାର ସହ ସମ୍ପାଦନ କରିବାରେ ସହଯୋଗ କରିଥିବା ERO, AERO, BLO, ବୁଥ୍ ସ୍ତରୀୟ ଏଜେଣ୍ଟ (BLA), ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନିର୍ବାଚନ କର୍ମଚାରୀ ଓ ଜିଲ୍ଲାବାସୀଙ୍କୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ନୟାଗଡ଼ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।

