କନ୍ଧମାଳ, (ଓଡ଼ିଶା ଲେଖା): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ଦକ୍ଷିଣ ଓଡ଼ିଶାରେ ପାଣିପାଗ ବିଗିଡ଼ିବାର ଆଶଙ୍କା ମଧ୍ୟରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ଥିବାରୁ ବିଭିନ୍ନ ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳ ଉପରେ ନଜର ରଖାଯାଇଛି। ବିଶେଷକରି କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଭୂସ୍ଖଳନ ଓ ଅନ୍ୟାନ୍ୟ ଅଘଟଣର ଆଶଙ୍କା ଥିବାରୁ ଆସନ୍ତା ୨୩ ଓ ୨୪ ସେପ୍ଟେମ୍ବର ଦୁଇଦିନ ଏହି ଘାଟି ଦେଇ ଯାନବାହନ ଚଳାଚଳ ବନ୍ଦ ରହିବ।କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏନେଇ ସୂଚନା ଦେଇଛନ୍ତି। କଳିଙ୍ଗାଠାରେ ଏକ ସ୍ୱତନ୍ତ୍ର ଚେକ୍ପୋଷ୍ଟ ସ୍ଥାପନ କରାଯାଇ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାନବାହନକୁ ଅଟକାଯିବ।

ଜରୁରୀ ପରିସ୍ଥିତି ବ୍ୟତୀତ ଯାତ୍ରୀ ଓ ଗାଡ଼ି ଚାଳକମାନଙ୍କୁ ଏହି ରାସ୍ତାରେ ଯାତାୟାତ ନକରିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯିବ। ବାତ୍ୟାଜନିତ ବର୍ଷା ଯୋଗୁଁ ଘାଟି ଅଞ୍ଚଳରେ ମାଟି ଅତଡ଼ା ଖସିବା, ରାସ୍ତା ଅବରୋଧ ଓ ଅନ୍ୟାନ୍ୟ ବିପଦ ସୃଷ୍ଟି ହୋଇପାରେ। ତେଣୁ ଲୋକଙ୍କ ଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ସେପଟେ ଲଘୁଚାପ ପ୍ରଭାବରେ ୨୩-୨୪ ସେପ୍ଟେମ୍ବରରେ ଓଡ଼ିଶାର ଦକ୍ଷିଣ ଅଞ୍ଚଳରେ ପବନ ସହ ଭାରି ବର୍ଷାର ସମ୍ଭାବନା ଥିବାରୁ ସ୍ଥିତି ଉପରେ ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନ ନଜର ରଖିଛନ୍ତି।

