ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାମ୍ବାଦିକ ଭବନର ନିର୍ବାଚନକୁ ନେଇ ସାମ୍ବାଦିକ ମହଲରେ ଚଳ ଚଞ୍ଚଳ ଦେଖା ଦେଇଛି। ଆସନ୍ତା କାଲି ଅର୍ଥାତ ୨୦ ସେପ୍ଟେମ୍ବର ୨୦୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଚାର ଓ ସମର୍ଥନ ହାସଲ ପାଇଁ ପ୍ରୟାସ ଜାରି ରହିଛି। ସଭାପତି ପଦ ପାଇଁ ରଜତ କୁମାର ପଟ୍ଟନାୟକ ଓ ବୈଦ୍ୟ ଭୂଷଣ ମହାପାତ୍ର ନିର୍ବାଚନ ମଇଦାନରେ ରହିଥିବାରୁ ଏହି ପଦବୀରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

ସେହିପରି ସମ୍ପାଦକ ପଦ ପାଇଁ ଏସ୍.କେ. ଅନୱାର ଅଲ୍ଲି ଓ ନିହାର ରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ନିର୍ବାଚନୀ ପ୍ରତିସ୍ପର୍ଦ୍ଧା ହେବ। ଯୁଗ୍ମ ସମ୍ପାଦକ ପଦ ପାଇଁ ସନ୍ତୋଷ କୁମାର ନାୟକ ଓ ସ୍ୱରୂପ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଉପସଭାପତି ପଦ ପାଇଁ ପ୍ରଶାନ୍ତ କୁମାର ଜେନା ଏବଂ କୋଷାଧ୍ୟକ୍ଷ ପଦ ପାଇଁ ବିଶ୍ୱଜିତ୍ ନାୟକ ଏକମାତ୍ର ପ୍ରାର୍ଥୀ ଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।

କାର୍ଯ୍ୟକାରିଣୀ ସଦସ୍ୟ ପଦ ପାଇଁ ଅଶୋକ କୁମାର ସାଥୁଆ, ବାସୁଦେବ ମହାନ୍ତି, ମହେଶ ମିଶ୍ର, ରସାନନ୍ଦ ସ୍ୱାଇଁ, ଦିନମଣୀ ମହାନ୍ତି, କୈଳାଶ ଚନ୍ଦ୍ର ସିଅ, ରବୀନ୍ଦ୍ର ଦାଶ ଓ ଗଗନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ସେପ୍ଟେମ୍ବର ୨୦ ତାରିଖ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଏହାପରେ ଦିନ ୧ଟା ୩୦ ମିନିଟ୍ରେ ଭୋଟ ଗଣତି ଆରମ୍ଭ ହୋଇ ଦିନ ୨ଟାରେ ଫଳାଫଳ ଘୋଷଣା କରାଯିବ। ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଭୋଟ ଗଣତି କରାଯିବ ବୋଲି ଜଣାପଡ଼ିଛି। ୪ଜଣିଆ କମିଟି ଉପରେ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ନିର୍ବାଚନର ସୁଚାରୁ ପରିଚାଳନା ପାଇଁ କ୍ଷିରୋଦ ଚନ୍ଦ୍ର ପଟ୍ଟନାୟକ, ଧିରେନ୍ଦ୍ର ପଟ୍ଟନାୟକ, ଜନ୍ମଜେୟ ମହାନ୍ତି ଓ ଗୌରିଶଙ୍କର ଦାସଙ୍କୁ ନେଇ ୪ଜଣିଆ କମିଟି ଗଠନ କରାଯାଇଛି। ନିର୍ବାଚନକୁ ଶାନ୍ତି, ଶୃଙ୍ଖଳା ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବା ପାଇଁ ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ସହଯୋଗ କାମନା କରାଯାଇଛି। ନିର୍ବାଚନକୁ ନେଇ ନୟାଗଡ଼ର ସାମ୍ବାଦିକ ମହଲରେ ଉତ୍ସାହ ଦେଖାଦେଇଥିବା ବେଳେ ଆସନ୍ତାକାଲି ମତଦାନ ପରେ ନୂଆ କର୍ମକର୍ତ୍ତା ଓ କାର୍ଯ୍ୟକାରିଣୀ ଗଠନ ହେବ।

