ନୟାଗଡ଼, (ଓଡ଼ିଶା ଲେଖା): ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାରା ଦେଉଥିବା ସରକାରଙ୍କ ବିକାଶର ଚିତ୍ର ଏବେ ନୟାଗଡ଼ ପଞ୍ଚାୟତ ସମିତିର ମୁଖଶାଳାରୁ ହିଁ ସ୍ପଷ୍ଟ ହେଉଛି। ସୁନ୍ଦର ନିର୍ମାଣ ହୋଇଥିବା ମୁଖ୍ୟ ଫାଟକ ଓ ପାଚେରୀ ଆଜି ଅବହେଳାର ଶିକାର ହୋଇ ରହିଛି। ୨୦୨୪ ନିର୍ବାଚନ ପୂର୍ବରୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ନୟାଗଡ଼ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟର ମୁଖଶାଳା ଓ ଗେଟ୍ଗୁଡ଼ିକର ନିର୍ମାଣ କରାଯାଇ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହି କ୍ରମରେ ନୟାଗଡ଼ ପଞ୍ଚାୟତ ସମିତିର ମୁଖ୍ୟ ଫାଟକ ମଧ୍ୟ ଆକର୍ଷଣୀୟ ଭାବେ ନିର୍ମିତ ହୋଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ଗେଟ୍ରେ ଶିଉଳି ମାଡ଼ିଯାଇଥିବାରୁ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଛି। ସେହିପରି ପଞ୍ଚାୟତ ସମିତି କାର୍ଯ୍ୟାଳୟର ପାଚେରୀ ନିର୍ମାଣ ହୋଇଥିଲେ ମଧ୍ୟ ଏଥିରେ ଆଜି ପର୍ଯ୍ୟନ୍ତ ରଙ୍ଗ ଲଗାଯାଇନାହିଁ। ୨୦୨୪ ନିର୍ବାଚନ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇ ବିଜେଡି ସ୍ଥାନରେ ବିଜେପି ସରକାର ଗଠନ ହୋଇଛି।

ନୂଆ ସରକାର ଆସିବା ପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ରଙ୍ଗ ଲଗାଯାଇଥିଲେ ମଧ୍ୟ ନୟାଗଡ଼ ପଞ୍ଚାୟତ ସମିତିର ମୁଖ୍ୟ ଗେଟ୍ ଓ ପାଚେରୀ ଏପର୍ଯ୍ୟନ୍ତ ରଙ୍ଗରୁ ବଞ୍ଚିତ ରହିଛି। ସରକାର ପରିବର୍ତ୍ତନକୁ ପ୍ରାୟ ଅଢ଼େଇ ବର୍ଷ ହେବାକୁ ବସିଥିବା ବେଳେ ଏହି ସାମାନ୍ୟ କାମଟି ମଧ୍ୟ ହୋଇନଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ପଞ୍ଚାୟତ ସମିତିର ମୁଖ୍ୟ ଫାଟକର ରକ୍ଷଣାବେକ୍ଷଣ ପ୍ରତି ବିଡିଓଙ୍କ ଦୃଷ୍ଟି କାହିଁକି ପଡ଼ୁନାହିଁ, ତାହା ନେଇ ମଧ୍ୟ ଆଲୋଚନା ହେଉଛି। ଅନ୍ୟପକ୍ଷରେ, ନୟାଗଡ଼ ବ୍ଲକ୍ର ବିକାଶକୁ ଆଗେଇ ନେବା ଉଦ୍ଦେଶ୍ୟରେ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ନୂଆ ସରକାରଙ୍କ ସହ ଯୋଗସୂତ୍ର ସ୍ଥାପନ କରିଥିବା କୁହାଯାଉଥିଲେ ମଧ୍ୟ ପଞ୍ଚାୟତ ସମିତିର ମୁଖଶାଳା ଓ ପାଚେରୀର ରଙ୍ଗ କାମ ଅସମ୍ପୂର୍ଣ୍ଣ ରହିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ନୟାଗଡ଼ ପଞ୍ଚାୟତ ସମିତିର ମୁଖଶାଳା ଯଦି ବିକାଶର ଆଇନା, ତେବେ ଏହାର ବର୍ତ୍ତମାନ ଚିତ୍ର ବ୍ଲକ୍ର ବିକାଶ ଓ ପ୍ରଶାସନିକ ତତ୍ପରତା ନେଇ ଅନେକ ପ୍ରଶ୍ନ ଉଠିଛି। ଏହି ଗେଟ୍ ଓ ପାଚେରୀରେ କେବେ ରଙ୍ଗ ଲାଗିବ ଏବଂ କେବେ ଏହାର ପୁନର୍ବାର ସୌନ୍ଦର୍ଯ୍ୟ ଫେରିବ, ତାହା ଏବେ ଦେଖିବାକୁ ବାକି ରହିଲା।

