ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ନୂତନ ବିଲ୍ଡିଂ କାର୍ଯ୍ୟକୁ ନେଇ ଅନିୟମିତତାର ଅଭିଯୋଗ ଉଠିଛି। କୋଟି କୋଟି ଟଙ୍କା ବ୍ୟୟରେ ଚାଲିଥିବା ଏହି ନିର୍ମାଣ କାର୍ଯ୍ୟରେ ନିମ୍ନମାନର ରଡ଼ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ଇଷ୍ଟିମେଟ୍ରେ ଉଲ୍ଲେଖ ଥିବା ନିର୍ଦ୍ଦିଷ୍ଟ ମାନର ରଡ଼ ବଦଳରେ ସ୍ଥାନୀୟ ବଜାରର ରଡ଼ ବ୍ୟବହାର କରାଯାଉଛି। ବିଶେଷକରି ‘Rungta Steel’ ରଡ଼ ବ୍ୟବହାର ହେଉଥିବା ନେଇ ପ୍ରଶ୍ନ ଉଠିଛି। ତେବେ ଏହି ଅଭିଯୋଗର ସତ୍ୟତା ନିର୍ଣ୍ଣୟ ପାଇଁ ଗୁଣାତ୍ମକ ପରୀକ୍ଷା ଓ ବିଭାଗୀୟ ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏହା ସହିତ, ନିର୍ମାଣ ସ୍ଥଳରେ କାର୍ଯ୍ୟର ଅନୁମୋଦିତ ପ୍ରକଳ୍ପ, ଅର୍ଥରାଶି, ଠିକାଦାରଙ୍କ ନାମ, କାର୍ଯ୍ୟାଦେଶ ଓ ସମୟସୀମା ସମ୍ପର୍କିତ ସୂଚନା ଫଳକ ନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଫଳରେ ଏହି ନିର୍ମାଣ କାର୍ଯ୍ୟ କେଉଁ ପ୍ରସ୍ତାବ କିମ୍ବା ଯୋଜନା ଅଧୀନରେ ହେଉଛି, ତାହା ସାଧାରଣ ଲୋକଙ୍କ ପାଇଁ ସ୍ପଷ୍ଟ ହୋଇପାରୁନାହିଁ।ଅଭିଯୋଗକାରୀଙ୍କ କହିବା ଅନୁସାରେ, ନୂତନ ବିଲ୍ଡିଂ ପାଇଁ ପ୍ରାୟ ୧୦ରୁ ୧୫ ଫୁଟ୍ ଗଭୀର ଫାଉଣ୍ଡେସନ ଖୋଳାଯାଇଥିଲେ ମଧ୍ୟ ଖୋଳାଯାଇଥିବା ବିପୁଳ ପରିମାଣର ମାଟି କେଉଁଠାକୁ ନିଆଯାଇଛି ଏବଂ ଏହାର ହିସାବ କ’ଣ ରହିଛି, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ମାଟିର ପରିମାଣ, ପରିବହନ ଓ ବ୍ୟବହାର ସମ୍ପର୍କରେ ତଦନ୍ତ କରାଯିବାକୁ ଦାବି ହୋଇଛି। ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ, ଇଷ୍ଟିମେଟ୍ ଅନୁଯାୟୀ ସାମଗ୍ରୀ ବ୍ୟବହାର, ମାଟି ଖୋଳା ଓ ପରିବହନର ହିସାବ ଏବଂ କାର୍ଯ୍ୟରେ ନିୟୋଜିତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଭୂମିକା ନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି। ବିଭାଗୀୟ ଯନ୍ତ୍ରୀ, ଠିକାଦାର ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ଲକ୍ଷାଧିକ ଟଙ୍କା ଠକେଇ ହେଉଥିବା ଶୁଣିବାକୁ ମିଳିଛି। ତେବେ ଏହାର ନିରପେକ୍ଷ ତଦନ୍ତ ଦାବି କରାଯାଇଥିବା ବେଳେ ତଦନ୍ତ ଯଦି ଅନିୟମିତତା ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

