ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରାର ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନାର ଶୁଭାରମ୍ଭ ହୋଇଛି। ଗୁରୁବାର ଅପରାହ୍ନ ସାଢ଼େ ୨ ସମୟରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ତୀର୍ଥଯାତ୍ରାରେ ଜିଲ୍ଲାର ୧୧୯ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସତ୍ୟଭାମା ବେହେରାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ଼ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୀର୍ଥଯାତ୍ରୀ ବସ୍କୁ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସାଂସଦ ଡା. ପାତ୍ର ସମସ୍ତ ତୀର୍ଥଯାତ୍ରୀଙ୍କୁ ଅଯୋଧ୍ୟା ଓ ବାରାଣସୀ ଯାତ୍ରା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ତୀର୍ଥଯାତ୍ରୀମାନଙ୍କ ସହ ସେ ‘ରାମ ନାମ’ ଓ ‘ଶିବ ନାମ’ ଗାନ କରି ଆଧ୍ୟାତ୍ମିକ ପରିବେଶକୁ ଆହୁରି ଭାବଗମ୍ଭୀର କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ତୀର୍ଥଯାତ୍ରୀମାନେ ଯେପରି ସୁରୁଖୁରୁରେ ଯାତ୍ରା କରି ସୁରକ୍ଷିତ ଭାବେ ଫେରିବେ, ସେନେଇ ଆବଶ୍ୟକ ପରାମର୍ଶ ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ପର୍ଯ୍ୟଟନ ବିଭାଗର ଏଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ତୀର୍ଥଯାତ୍ରୀମାନଙ୍କ ମୁହଁରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିବାବେଳେ, ଦୀର୍ଘଦିନର ତୀର୍ଥଦର୍ଶନ ଆଶା ପୂରଣ ହେବାକୁ ନେଇ ସେମାନେ ଉତ୍ସାହିତ ଥିଲେ।

