ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ସଦରବ୍ଲକ ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ମନୋଜ କୁମାର ନାୟକଙ୍କ ଅକାଳ ବିୟୋଗ ଘଟିଛି । ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ନାଥ ନାୟକଙ୍କ ବଡ଼ପୁଅ ମନୋଜ ଇଞ୍ଜିନିୟରିଂ ପାସ୍ କରି ସମାଜସେବା କରିବା ଲକ୍ଷରେ ରାଜନୀତିରେ ପାଦ ଦେଇଥିଲେ । ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ବାଲୁଗାଁ ପଞ୍ଚାୟତରେ ବିପୁଳ ଭୋଟରେ ବିଜୟ ଲାଭ କରି ସରପଞ୍ଚ ହୋଇଥିଲେ । ବିଜୁ ଜନତା ଦଳର ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ମନୋଜଙ୍କ ଶରୀର ଗତ ବୁଧବାର ବିଳମ୍ବିତ ରାତିରେ ଅସୁସ୍ଥ ହୋଇଥିଲା । ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା । ଗତକାଲି ସଂନ୍ଧ୍ୟାରେ ତାଙ୍କ ମୃତ୍ୟୁ ଘଟିଥିଲା । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ପ୍ରମୂଖ ଶୋକବ୍ୟକ୍ତ କରିବା ସହ ଡାକ୍ତରଖାନାରେ ଶେଷ ଦର୍ଶନ କରିଥିଲେ । ଆଜି ସକାଳୁ ତାଙ୍କ ମର ଶରୀର ବାଲୁଗାଁରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କୁ ଶେଷ ଦର୍ଶନ କରିଥିଲେ । ପଞ୍ଚାୟତ ବିଭିନ୍ନ ଗାଁକୁ ଶବ ପରିକ୍ରମା କରାଯାଇଥିଲା । ଶେଷରେ ଗାଁ ସ୍ମଶାନରେ ତାଙ୍କର ଶେଷକୃତ୍ୟୁ ସମ୍ପର୍ଣ୍ଣ ହୋଇଥିଲା । ଏହି ଅବସରରେ ଆଜି ସଂନ୍ଧ୍ୟାରେ ନୟାଗଡ଼ ଗୋଲେଇ ଛକଠାରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଶତାଧିକ ଯୁବ ଛାତ୍ର କ୍ୟାଣ୍ଡେଲ୍ ଜାଳି ନୀରବ ପ୍ରାର୍ଥନା କରିଥିଲେ । ମନୋଜଙ୍କ ଆତ୍ମର ସତଗତି କାମନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ଅମରେଶ୍ୱର ଜେନା, ପୂର୍ବତନ ଛାତ୍ର ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ବହୁ ନିର୍ବାଚିତ ଜନପ୍ରତିନିଧି ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ ।

