ନରସିଂହପୁର, (ଓଡ଼ିଶା ଲେଖା): ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ନରସିଂହପୁର ଚାଷୀ ସଂଗଠନ ଓ ମୁକ୍ତି ସଂଗଠନର ମିଳିତ ସହଯୋଗରେ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ରରେ ଧାନମଣ୍ଡି ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା, ଦେବୋତ୍ତର ଜମି ଚାଷ କରୁଥିବା ଚାଷୀଙ୍କ ପଞ୍ଜିକରଣ, ମଣ୍ଡି ପଞ୍ଜିକରଣର ସମୟସୀମା ବୃଦ୍ଧି, ସାରର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଓ କଳାବଜାରୀ ଏବଂ ଧାନ କ୍ରୟ ସମୟରେ କଟନୀ-ଛଟନୀ ଭଳି ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ବୁଲା ଗାଈଗୋରୁ ଓ ବନ୍ୟପ୍ରାଣୀଙ୍କ ଦାଉରୁ ଚାଷ ଓ କୃଷି ଶସ୍ୟକୁ ସୁରକ୍ଷା ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଉପରୋକ୍ତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ନହେଲେ ଚାଷୀ ସମାଜ ଆହୁରି ଗୁରୁତର ସମସ୍ୟାର ସମ୍ମୁଖୀନ ହେବ। ଝାଳରକ୍ତ ନିଗାଡ଼ି ସମଗ୍ର ସମାଜକୁ ଖାଦ୍ୟ ଯୋଗାଉଥିବା ଚାଷୀ ଓ ଚାଷର ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସଂଗଠନ ଦାବି କରିଛି। ଏନେଇ ନରସିଂହପୁର ଚାଷୀ ସଂଗଠନ ଓ ମୁକ୍ତି ସଂଗଠନ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

