ବାପାଙ୍କୁ ଭୁଲିପାରିବା ସତରେ କେତେ କଷ୍ଟକର କଥା, ତାହା ଜାଣିପାରିବେ କେବଳ ପିତୃପ୍ରେମୀ ସନ୍ତାନ ସନ୍ତତିମାନେ । ବାପା ତମେ ଆମକୁ ଛାଡ଼ି ଯିବାର ୮ ବର୍ଷ ପୂରିଗଲା । ଆଖିରେ ପୂରିଯାଉ ଲୁହ ବେଳକୁ ବେଳ । ଜୀବନର ଚଲାପଥରେ ଆବଶ୍ୟକ ପଡ଼ୁଛି ତୁମର ଉପଦେଶ । ମୁହୂର୍ତ୍ତ ମୁହୂର୍ତ୍ତନିର୍ଦ୍ଦେଶନା ଆଉ ସଂପର୍କ । ବାପା ଛେଉଣ୍ଡ ପିଲାର କଷ୍ଟ ଆଉ ଦୁଃଖ ଅବର୍ଣ୍ଣନୀୟ। ସମସ୍ତେ ନିଜନିଜ ବାଟରେ ପ୍ରତିଷ୍ଠିତ ଆଉ ବିକଶିତ I ତଥାପି ତମେ ଖୋଜା ପଡ଼, ଲୋଡ଼ା ପଡ଼ କେଉଁଠି ନା କେଉଁଠି, କେତେବେଳ ନା କେତେବେଳ । ଦମ୍ଭିଲା ପୁରୁଷ, ଦମ୍ଭିଲା ମନ, ଦମ୍ଭିଲା ପଣିଆ, ସବୁ ଦମ୍ଭିଲା । ଏତେ ଦମ୍ଭ ପାଇଁ ଆମେ ଆଜି ଦମ୍ଭିଲା କିନ୍ତୁ ତୁମ ଭଳିଆ ନୁହେଁ । ତୁମ୍ଭର ଅନାବିଳ ସ୍ନେହ ଆଦର ନିକଟରେ ସମସ୍ତେ ବନ୍ଧା । ବେଳେ ବେଳେ ନୁହେଁ, ସବୁବେଳେ ମନରେ ଦୁଃଖ ଉଙ୍କିମାରେ । ମନ ଅସହାୟ ହୋଇପଡ଼େ । ତଥାପି ବଞ୍ଚିବାକୁ ହୁଏ ।ତମେ ଆମ ପାଇଁ ଥିଲ ଦେବତା । ଅତି ମାନବୀୟ ଗୁଣମାନେ ତୁମର ଘରର ଏ କାନ୍ଥ ସେ କାନ୍ଥରେ ଲାଖିରହିଛନ୍ତି । ତୁମକୁ ଖୋଜୁଛନ୍ତି। ତୁମେ ଅଛ ବୋଲି ସେମାନେ ଆମକୁ ବାରମ୍ବାର କହିଦେଉଛନ୍ତି । ଆମେ ତମକୁ ଦେଖୁଛୁ ଶୟନରେ, ସ୍ୱପ୍ନରେ ଆଉ ଜାଗରଣରେ । ଏତେ ସୁନ୍ଦର ପୃଥିବୀରେ ତମେ ବହୁତ ସୁନ୍ଦର ଥିଲ ବାପା । ତୁମ ଛାତିର ଛାୟାତଳେ ଆମେମାନେ ଥିଲାବେଳେ ନିଜକୁ ନିରାପଦ ମଣୁଥୁଲୁ । ତୁମେ ହାତତିଆରି ଅନୁଷ୍ଠାନ ମାନ ଏବେ ତୁମର ପ୍ରଶଂସନୀୟ କରୁଛନ୍ତି । ଶୁଣିଲେ ସେ ସବୁକୁ ମନ ଖୁସୀ ହୋଇଯାଉଛି । ତୁମ ଲାଗି ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ । ଯାହା ରଖିଦେଇଯାଇଛ ତୁମେ, ସେସବୁ ଅସରନ୍ତି ଅମାନତ । ଧନ ନୁହେଁ କୀର୍ତି ସମଗ୍ର ଜିଲ୍ଲାରେ ତୁମର ଶ୍ରଦ୍ଧାଳୁ ଉଚ୍ଚାରଣ ଆମକୁ ଦେଉଛି ପ୍ରେରଣା ଭଲ ମଣିଷଟିଏ ହେବା ପାଇଁ । “ ଅନ୍ୟମାଙ୍କୁ କଷ୍ଟ ଦେଇ କ୍ଷମା ମାଗିବା ବହୁତ ସହଜ କିନ୍ତୁ ନିଜେ କଷ୍ଟ ପାଇ କ୍ଷମା କରିବା ବହୁତ କଠିନ” ତୁମର ଏଇ ବାକ୍ୟ ଆଜି ବି ଆମ୍ଭମାନଙ୍କ କର୍ଣ୍ଣପାଖରେ ସଦାସର୍ବଦା ତମେ କହିଲା ଭଳି ଲାଗୁଛି ।ତୁମର ଅକ୍ଳାନ୍ତ ପରିଶ୍ରମରେ ଆଜି ଆମ୍ଭମାନଙ୍କୁ ମିଳିଛି ଗୋଟେ ଭଲ ପରିବାରର ଠିକଣା । ତମେ ଦେଇଛ ଏହି ପରିଚୟ ଆମକୁ । ରାଜନୀତି, ଅନୁଷ୍ଠାନ ପ୍ରୀତି, ସାଧାରଣ ମଣିଷର ମନ କିଣିବା – ଏସବୁରେ ତୁମର ସଂପୃକ୍ତ ଆମକୁ ଧନ୍ୟ କରିଦେଇଛି । ତୁମେ ଠିକଣା ଦେଇଯାଇନାହଁ ବରଂ ତୁମ ଠିକଣା ରାସ୍ତାରେ ଆମକୁ ସ୍ଫଲିବାକୁ ଉପଦେଶ ଦେଇଛ ଏହା ଆମେ ଉପଲବ୍ଧ କରୁଚୁ ଓ କରୁଥୁବୁ ଅସରନ୍ତି ଦିନ ପର୍ଯ୍ୟନ୍ତ ।ଆମକୁ ଆଶୀର୍ବାଦ ଦିଅ, ତୁମକୁ ହରାଇଥିବା ଆମ୍ଭଭଳି ହତଭାଗ୍ୟମାନଙ୍କୁ ଭାଗ୍ୟ ଦିଅ, ଭୋଗ ଦିଅ । ଲୁହ ପୋଛି ନେଇଯାଉ ସବୁରି ଆଖରୁ ତୁମର କରୁଣାରେ ଅଦୃଶ୍ୟ ଆଦରରେ ।
। ଇତି । କିନୁ


