ଭଞ୍ଜନଗର, (ଓଡ଼ିଶା ଲେଖା): ସହରରେ ଜନବସତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଣେ ଜନସଂଖ୍ୟା ତୁଳନାରେ ଯାନବାହନ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ିଛି। ଯାହା ଏବେ ଭଞ୍ଜନଗର ବସଷ୍ଟାଣ୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ଉକ୍ତ ବସଷ୍ଟାଣ୍ଡଟି ନୂତନ ଭାବେ ନିର୍ମିତ ହେବା ପରେ ସ୍ଥାନଟି ଉନ୍ନତ ହେଲା ସତ, କିନ୍ତୁ ତାହା ପ୍ରକୃତରେ ଲକ୍ଷ୍ୟ ସାଧିତ ହୋଇପାରୁନଥିବା ମନେ ହେଉଛି। ବସଷ୍ଟାଣ୍ଡରେ ବସ୍ ରହଣି ଅପେକ୍ଷା ଲୋକେ ତାହାକୁ କାର୍ ଏବଂ ବାଇକ୍ ଯାତାୟତର ମାଧ୍ୟମ କରିସାରିଲେଣି। ଭଞ୍ଜନଗର ମରାଠି ସାହି ହନୁମାନ ମନ୍ଦିର ଛକ ଠାରୁ ବେଲଗୁଣ୍ଠା ରୁଟ୍ରେ ଯିବା ଲାଗି ସ୍ବତନ୍ତ୍ର ରାସ୍ତା ରହିଛି। କିନ୍ତୁ ଲୋକେ ଉକ୍ତ ରାସ୍ତାକୁ ବ୍ୟବହାର ନକରି ବସଷ୍ଟାଣ୍ଡ ଭିତର ଦେଇ ଯିବା ଆସିବା କରୁଛନ୍ତି।

ଫଳରେ ବସଷ୍ଟାଣ୍ଡ ଅଧିକ ଗହଳି ହୋଇ ବସ୍ ରହଣିରେ ସମସ୍ୟା ଦେଖାଦେଉଛି। ଏପରିକି କେତେକ କାର୍ ନିୟମିତ ଭାବେ ବସଷ୍ଟାଣ୍ଡରେ ପାର୍କିଂ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଫଳରେ ଯାତ୍ରୀମାନେ ବସ୍ରେ ଚଢ଼ିବା ଓହ୍ଲାଇବା ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ସନ୍ଧ୍ୟାରେ ସ୍ଥିତି ଅଣାୟତ ହୋଇପଡୁଥିବା ଦେଖିବାକୁ ମିଳେ। ଅନେକ ସମୟରେ ସେଠାରେ ଦୁର୍ଘଟଣା ଘଟୁଥିବା ବିଷୟ ସାମ୍ନାକୁ ଆସୁଥିଲେ ମଧ୍ୟ ପୋଲିସ କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଯଦି ବସଷ୍ଟାଣ୍ଡର ଉଭୟ ପାର୍ଶ୍ବରେ ପୋଲିସ ନିୟୋଜିତ ରହି ଦୁଇ, ଚାରି ଚକିଆ ଯାନକୁ ବସଷ୍ଟାଣ୍ଡ ଭିତରକୁ ଯିବା ଉପରେ ରୋକ ଲଗାଇବ ତେବେ ବସଷ୍ଟାଣ୍ଡରେ ଦେଖା ଦେଉଥିବା ସମସ୍ୟା ଦୂରିଭୂତ ହୋଇପାରିବ।

