ଭୁବନେଶ୍ୱର, (ଓଡ଼ିଶା ଲେଖା): ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ନିର୍ବାଚନ କେବେ ହେବ, ତାହାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବଡ଼ ସୂଚନା ମିଳିଛି। ମାର୍ଚ୍ଚ ମାସରେ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିବା ସହ ମାର୍ଚ୍ଚ ୫ ତାରିଖ ପରେ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ, ମାର୍ଚ୍ଚ ୫ ତାରିଖରେ ଜନଗଣନା ପ୍ରକ୍ରିୟା ସରିବ। ଏହା ପରେ ପଞ୍ଚାୟତ ନିର୍ବାଚନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆଗକୁ ବଢ଼ିବ। ମାର୍ଚ୍ଚ ଶେଷ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ୯୧ ହଜାର ବୁଥ୍ ପ୍ରସ୍ତୁତ ରହିଥିବା କୁହାଯାଇଛି। ପଞ୍ଚାୟତ ନିର୍ବାଚନ ବାଲାଟ୍ ପେପରରେ ହେବ।ଅନ୍ୟପଟେ, ଭୋଟର ତାଲିକା ପ୍ରସ୍ତୁତିକୁ ନେଇ ମଧ୍ୟ ପ୍ରକ୍ରିୟା ଜାରି ରହିବ। ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସର୍ଭେ କରାଯିବ। ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୋଟିଏ ଅଞ୍ଚଳର ଭୋଟରଙ୍କୁ ଗୋଟିଏ ୱାର୍ଡରେ ସଠିକ୍ ଭାବେ ସାମିଲ କରିବା। ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ରେ ଶେଷ ହେବ। ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ନେଇ ମଧ୍ୟ ଆସିଛି ସୂଚନା। ପଞ୍ଚାୟତ ନିର୍ବାଚନ ଶେଷ ହେବାର ୧୫ ଦିନରୁ ଏକ ମାସ ମଧ୍ୟରେ ପୌର ନିର୍ବାଚନ କରାଯିବ। ପୌର ନିର୍ବାଚନ ଇଭିଏମ୍ରେ ହେବ। ଏହାସହ ୨୦୨୭ରେ ସମ୍ବଲପୁର, ରାଉରକେଲା ଓ ପୁରୀ ମହାନଗର ନିଗମର ନିର୍ବାଚନ ଏକକାଳୀନ ଭାବେ ହେବା ସହ ବାକି ଥିବା ପଞ୍ଚାୟତଗୁଡ଼ିକର ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନର ସମ୍ଭାବ୍ୟ ସମୟସୂଚୀ ସାମ୍ନାକୁ ଆସିବା ପରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକରେ ନିର୍ବାଚନୀ ପ୍ରସ୍ତୁତି ଆହୁରି ଜୋରଦାର ହେବା ଆଶା କରାଯାଉଛି।

